ଯେତେବେଳେ ଭାରତ ସରକାର ଏହି ଭଳି ଭୟଙ୍କର ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଘଣ୍ଟା, ଘଣ୍ଟ, ଥାଳି, ଗିନା ଓ କଂସା ଆଦି ବଜାଇ ପ୍ରବଳ ଜନ ସଚେତନତା ସହ ତାଲା ବନ୍ଦ ପ୍ରକ୍ରିୟା ଆରମ୍ଭ କଲେ ସେତେବେଳେ ସାଧାରଣ ଲୋକଙ୍କ ବଞ୍ଚିବା ସ୍ଥିତି କରୋନା ମହାମାରୀ ଠାରୁ ଭୟଙ୍କର ରୂପ ନେଲା ଓ ଉପଲବ୍ଧି ହେଲା ବିନା ଆର୍ଥିକ ବିକାଶରେ ସାଧାରଣ ମଣିଷ ଟିଏ କିଭଳି ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଇ ଜୀବନ ଜଳାଞ୍ଜଳି ଦେଇପାରେ ସେତେବେଳେ ପଶୁପକ୍ଷୀଙ୍କ ଦୟନୀୟ ସ୍ଥିତିକୁ କିଏ ବା ପଚାରେ।
ସେହି ତାଲା ବନ୍ଦ ସମୟରେ କିଭଳି ହାତ ଗଣତି କେଇଟା ଦିନ ମଧ୍ୟରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ହରେଇ ଭୋକ ଶୋଷକୁ ଭୁଲି ହଜାର ହଜାର ମାଇଲି ଚାଲିକରି କର୍ମ କ୍ଷେତ୍ର ପ୍ରଦେଶରୁ ନିଜ ଜନ୍ମ କ୍ଷେତ୍ର ପ୍ରଦେଶକୁ ପରିବାର ଛୁଆ ପିଲାଙ୍କୁ ଧରି ଡହଳ ବିକଳ ପରିସ୍ଥିତିରେ ଜୀବନକୁ ବାଜି ଲଗେଇ ଫେରୁ ଥାଆନ୍ତି ସେ ଦୃଶ୍ୟ ଅନନ୍ୟ ହୃଦୟ ବିଦାରକ ଦୃଶ୍ୟ ଥିଲା ଏବଂ ପ୍ରାୟ ଅଧିକାଂଶ ଲୋକେ କୋଭିଡି ମହାମାରୀର ଭୟଙ୍କରରୀତାକୁ ଖାତିର ନକରି ଏକ ଅନିଶ୍ଚିତ ଭବିଷ୍ୟତକୁ ଆଖି ଆଗରେ ରଖି ଦେଶ ବିଦେଶରୁ ମଧ୍ୟ ନିଜ ଘରକୁ ଫେରିବାକୁ ଲାଗିଲେ। ଯେତେବେଳେ ନିଜ ଅଞ୍ଚଳରେ ପହଞ୍ଚିସାରିବା ପରେ ନିଜ ଘର ଠାରୁ ଅନତିଦୂରରେ ସରକାରଙ୍କ ଦ୍ଵାରା ଚାଲୁଥିବା ଅଣବଶର ଘରେ ୧୫ ରୁ ୨୧ ଦିନ ରହି ବିଭିନ୍ନ ପରୀକ୍ଷା ନିରୀକ୍ଷା ଦ୍ଵାରା କୋଭିଡ ରୋଗର ମାନପତ୍ର ନେଇ ନିଜ ଘରେ ରହିବାର ଅନୁମତି ଭଳି ହୃଦୟ ବିଦାରକ ସ୍ମୃତି କେବେ ବି ଭୁଲି ହେବ ନାହିଁ।
ସେହି କରାଳ କାଳରେ ଓଡ଼ିଶା ନଫେରି ନିଜେ କେତେ କଷ୍ଟରେ ବାଙ୍ଗାଲୋର ସହରରେ ରହି ଜୀବନ କାଟିବାର ପରିସ୍ଥିତି ଏକ ନିଆରା ଅସହାୟ ଅନୁଭୂତି ଦେଲା ଏବଂ ହୃଦବୋଧ ହେଲା ଘର ପରିବାର କଥା, ମନେ ପକେଇ ଆଖିରେ ବହି ଗଲା କେତେ ଯେ ଲୁହ ସେ ସମୟ ମଧ୍ୟ କେବେ ଭୁଲି ହେବ ନାହିଁ।
ଠିକ୍ ନିଜ ଘର ପରିବାର ଭଳି ନିଜ ସାଙ୍ଗ ସାଥି ବନ୍ଧୁ ଯେଉଁମାନେ ବିଭିନ୍ନ ସାମାଜିକ ଓ ପାରିବାରିକ ପ୍ରତିକୂଳ ପରିସ୍ଥିତି କାରଣରୁ ଉତ୍ତମ ଶିକ୍ଷା ଅଭାବରେ ଅଣ କୁଶଳୀ କାମ କରି ଜୀବନ ଜିଉଛନ୍ତି ସେମାନଙ୍କ ପରିସ୍ଥିତି କ'ଣ ହେଉଥିବ? ଏବଂ କରୋନା ମହାମାରୀ ପରେ ଯଦି ଆଉ କୌଣସି ବିଶ୍ଵ ବିଭୀଷିକା ଆରମ୍ଭ ହୁଏ ତାହା ହେଲେ କ'ଣ ଏ ମହାନ ମାନବ ସୃଷ୍ଟିକୁ ଉହାନ ଭୂତାଣୁ ଭଳି ଆଉ ଏକ ମହା ବିପଦ ଧ୍ଵଂସ କରିଦେବ? ଆମ ଭଳି ସବୁ ସାଙ୍ଗମାନେ ଯେ ଭଲ ନିଯୁକ୍ତି ପାଇ ଭଲ ଜୀବନ ଜିଉଛନ୍ତି ସେମିତି ନାହିଁ।
ତେଣୁ ସେହି ଭଳି ସାଙ୍ଗ ମାନଙ୍କ ଉଦ୍ଦେଶ୍ୟରେ ଏବଂ କରୋନା ମହାମାରୀ ଭଳି ଏକ ବିଶ୍ଵ ଘଡ଼ି ସନ୍ଧି ମୂହୁର୍ତ୍ତରେ ମନକୁ ଆସିଥିଲା ଯେ
“ଏକ ଆର୍ଥିକ, ସାମାଜିକ, ସାଂସ୍କୃତିକ ବିକାଶମୁଖି ସ୍ବାବଲମ୍ବୀ, ଶୃଙ୍ଖଳିତ, ସମୃଦ୍ଧ ଓ ଉନ୍ନତିମୂଳକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜୀବନ ପଦ୍ଧତି ସୃଷ୍ଟି ଦିଗରେ କାର୍ଯ୍ୟ କରି ସମାଜର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷାର ଲଗାତର ଉନ୍ନତି ଓ ମଜବୁତ ଦିଗରେ ଯେତେ ବାଧାବିଘ୍ନ ଆସିଲେ ବି ସ୍ଵୟଂ ଚେଷ୍ଟା ଓ କାର୍ଯ୍ୟ କରି ଏହି ମହାନ ସେବା ମୂଳକ ଚିନ୍ତାକୁ ବାସ୍ତବ ରୁପ ଦେଇ କ୍ରିୟାନ୍ଵିତ ଓ ସଫଳ କରିବା।”
ଯାହା ଦ୍ଵାରା ଅଭାବ ଅସୁବିଧାରେ ଥିବା ସାଙ୍ଗ, ସାଥି, ପରିବାର ଓ ସମାଜର ନିଷ୍ପେସିତ ଲୋକମାନେ ନିଜର ଆର୍ଥିକ ଜରୁରୀକାଳୀନ ପରିସ୍ଥିତିରେ ନିଜ ଅସୁବିଧାକୁ ସାମୁହିକ ମୁକାବିଲା କରି ନିଶ୍ଚିତ ସଫଳ ହେଇପାରିବେ। ସମାଜରେ ଆର୍ଥିକ ସୁରକ୍ଷା ଆସିଗଲେ ପ୍ରତିଟି ପରିବାର ନିଶ୍ଚିତ କିଛି ଅସାଧାରଣ ପ୍ରତିପାଦିତ କରି ପାରିବେ।
ଏହି ଭଳି ଏକ ଶୁଭ ଚିନ୍ତା ଆଖିରୁ ନିଦ ହଜାଇ ଥିବା ସମୟରେ ଆମେ ଅପେକ୍ଷା କରିଥିଲୁ ଏକ ଶୁଭ ମୁହୂର୍ତ୍ତ ଓ ଭଲ ସାଥିଗଣଙ୍କୁ ଯିଏ ଆମ ସହ ପାଦ ମିଶେଇ ଚାଲି ଘାତ ପ୍ରତିଘାତ ସହି ଏହି ଚିନ୍ତାକୁ ଏକ ବାସ୍ତବ ରୂପ ଦେବେ ଓ ସଫଳ କରିବେ।
ଏକଦା ଏକ ଶୁଭ ମୁହୂର୍ତ୍ତ ସଂଧ୍ୟାରେ ଆମେ ୧୨ ଜଣରୁ ଉର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟଳର ସାଙ୍ଗ ଆମ ଗାଁ ମା ବୁଦ୍ଧେଶ୍ଵରୀ ଯୁବକ ସଂଘ ଘରେ ଏକ ଭୋଜିର ଆୟୋଜନ କରି ଆମର ଅନ୍ୟ ଏକ ସଫଳ ସାଙ୍ଗଙ୍କ କରକମଳରେ ଶ୍ରୀଫଳ ଭାଙ୍ଗି ସେହି ସଂଧ୍ୟାରେ ଏକ ନୂତନ ସାଂଗଠାନିକ ଅନୁଷ୍ଠାନର ଶୁଭ ଉନ୍ମୋଚନ କରି ମୂଳଦୁଆ ପକେଇବା ସହ ଆମ ନୂତନ ସଂଘର ଦିର୍ଘାୟୁ କାମନା କରିଥିଲୁ। ଏବଂ ଆଜି ଆମ ନୂତନ ସଂଗଠନକୁ ୧ ବର୍ଷ ପୁରି ଯାଇଛି। ଆପଣମାନେ ବିଶ୍ବାସ କରି ପାରିବେ ନାହିଁ ଆମ ସେହି ସଂଗଠନରେ ଏକ ବର୍ଷରେ ପାଖାପାଖି ୧ ଲକ୍ଷ ଅର୍ଥ ସଞ୍ଚୟ ହେଇ ପାରିଛି ଯାହା ଆମ ସଂଗଠନର କୌଣସି ସଦସ୍ୟଙ୍କ ଜରୁରୀକାଳୀନ ପରିସ୍ଥିତିରେ ବିନା ବାଧା ବିଘ୍ନରେ ବିନିଯୋଗ ଓ ଆକାଉଣ୍ଟରେ ଭରଣା ହେଇ ପାରିବ। ସଂଗଠନର ଏହି ଭଳି ମହତ ଉଦ୍ଦେଶ୍ୟକୁ ପ୍ରଥମେ ପ୍ରଥମେ ଆମ ବ୍ଯାଚର ଅଧା ପାଠ ପଢ଼ି ବିଭିନ୍ନ ଅଣକୁଶଳୀ ଓ ଚାଷବାସ କରି ବଞ୍ଚୁଥିବା ସାଙ୍ଗ ମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେଲା ଏବଂ ଆଜି ୧ ବର୍ଷ ପରେ ସେହି ମହତ ଉଦ୍ଦେଶ୍ୟକୁ ବୁଝି ଆମେମାନେ ସମସ୍ତେ ଏତେ ଅଭ୍ୟସ୍ତ ହେଇ ଯାଇଛୁ ଯେ ଆମ ବାର୍ଷିକ କାର୍ଯ୍ୟକାରିଣୀ ସଭାରେ ନିଷ୍ପତ୍ତି ହେଲା ଏ ସଂଘ ଏମିତି ବ୍ୟକ୍ତି କଲ୍ୟାଣ ପାଇଁ ଚାଲୁରହୁ। କାହାର ସାହାଯ୍ୟରେ ନଆସିଲେ ବି ଆମ କେଇଜଣ ବନ୍ଧୁଙ୍କ ଅସୁବିଧା ସମୟରେ କାମରେ ଆସିବ। ସେହି ଅସହାୟ ସାଙ୍ଗ ମାନେ ମଧ୍ୟ ତାର ଲାଭ ପାଇବା ଆରମ୍ଭ କଲେଣି।
No comments:
Post a Comment