ଏମିତି ବସି ବସି ମକର ସଂକ୍ରାନ୍ତିରେ ମକର ଚାଉଳ ଭୋଗ, ଗୁଡ଼ି ଉଡା ଓ ଆଜି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ଦିନ ବକର ବା ବଡ଼ ହୁଏ। ଶୀତର ପ୍ରକୋପ ଓ ମାତ୍ରା ମଧ୍ୟ କମିବା ଆରମ୍ଭ କରେ। ଏମିତି ଭାବୁ ପ୍ରତ୍ୟେକ ମାସରେ ବିଶେଷ କରି ଅମାବାସ୍ୟା, ପୁର୍ଣିମା ଓ ସଂକ୍ରାନ୍ତି ଉପରେ ପ୍ରାୟ ବିଶେଷ ଚାଷୀ ପର୍ବ କେମିତି ଅତି ସୁନ୍ଦର ଭାବରେ ଆମ ପୂର୍ବ ପୁରୁଷ ମାନେ ରୁନ୍ଧିଦେଇ ଯାଇଛନ୍ତି ଏହା ନିଶ୍ଚିତ ଏକ ଶୃଙ୍ଖଳିତ କୃଷିଭିତ୍ତିକ ସମାଜ ପାଇଁ ଆବଶ୍ୟକୀୟ ପାରମ୍ପରିକ ବ୍ୟବସ୍ଥା ଯେଉଁ ପର୍ବପର୍ବାଣୀ ଦ୍ଵାରା ପ୍ରତ୍ୟେକ ଚାଷୀ ପରିବାର ଚାପଉନ୍ମକୁତ ହେଇ ସମାଜକୁ ବର୍ଷ ପରେ ବର୍ଷ ଅନ୍ନ ଯୋଗାଇ ଦେବ। କ୍ଳାନ୍ତ ହେଇ ପଡ଼ିଲେ ବି ପର୍ବ ପର୍ବାଣୀ କ୍ଳେଶ ଲାଘବ କରେ... ତେବେ ଆସନ୍ତୁ ମାସ ପରେ ମାସ ଏକ ବର୍ଷରେ କେତେ ଚାଷୀ ପର୍ବ ଅଛି ଜାଣିବା ଓ ଚାଷୀ ପରିବାରକୁ ଉତ୍ସାହିତ କରିବା।
ଜ୍ୟେଷ୍ଠ ମାସରେ - ଦେବ ସ୍ନାନ ପୂର୍ଣ୍ଣିମା ଦିନ ବଡ଼ ଠାକୁର ପାଣିରେ ଓଦା ହୋଇ ଏତେ ଗାଧାନ୍ତି ଯେ ତାଙ୍କୁ ଭୀଷଣ ଜର ହୁଏ। ଯେହେତୁ ଠାକୁର ଅଣସର ଘରେ ରହି ଜରରେ ପଡନ୍ତି ସେତେବେଳେ ଧରାପୃଷ୍ଠରେ ଭୀଷଣ ଗୁଳୁଗୁଳି ହୁଏ। ଗୁଳୁଗୁଳି ହେଲେ ଚାଷୀ ଧାନ ବିହନକୁ ପାଣିରେ ପକେଇ ଛାଣି ରଖିଲେ ଧାନ ଗଜାହେବାରେ ସହାୟକ ହୁଏ।
ଆଷାଢ଼ ମାସ ଆରମ୍ଭ - ରଜ ତିନିଦିନ ମଜା ମସ୍ତି, ଖେଳ କୁଦ, ପିଠା ପଣା ଖାଇ ଚାଷୀ ପରିବାର ତୟାର ହେଇଯାଏ ଚାଷକାମ ଆରମ୍ଭ କରିବାକୁ। ବଡ଼ ଠାକୁର ଅଣସର ଘରୁ ବାହାରି ବଡ଼ଦାଣ୍ଡରେ ରଥଯାତ୍ରା କରି ଫେରିଗଲେ ଚାଷୀ ତାର ଚାଷ କାମ ଆରମ୍ଭ କରିଦିଏ।
ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା - ଚିତଉ ପିଠା ହେଇ ବିଲରେ ପଡ଼େ ଗେଣ୍ଡା କୋଚିଆଙ୍କ ଉଦ୍ଧେଶ୍ୟରେ, ସେମାନେ ଖାଇଲେ ଆମ ବାପା, ଅଜା, ଦାଦା ଓ ମଜୁରିଆଙ୍କ ଗୋଡ଼ ଯେମିତି ନକାଟନ୍ତି। ଗୋଡ଼ କାଟିଲେ ଆମ ରୁଆ ଉପଡା ଚାଷ କାମ ଡେରି ହେବ।
ଭାଦ୍ରବ ମାସ ଗହ୍ମା ପୁନେଇଁ - ହଳମୂଷଳ ଧାରୀ ବଡ଼ ଠାକୁର ବଳଦେବଙ୍କ ଜନ୍ମ। ସେହି ଦିନ ଗାଈ ଓ ବଳଦ ସଫା ହେଇ ତାଙ୍କ ଶିଙ୍ଗରେ ତେଲ ଓ ଦେହରେ ହଳଦୀ ଲଗାଯାଏ ଯଦି ଚାଷରେ କ୍ଷତ ବିକ୍ଷତ କିଛି ହେଇଥିବ ଶୁଖିଯିବ ଓ ଯେହେତୁ ଶରତ ଋତୁ ସବୁଆଡେ ନିର୍ମଳ ସେମିତି ଚାଷୀ ତାର ଗାଈ ବଳଦକୁ ସଜେଇ ଶିଙ୍ଗରେ ରାକ୍ଷୀ ବାନ୍ଧି ଚକୁଳି ପିଠା ଖୁଆଇ ପୂଜା କରେ।
ଆଶ୍ୱିନ ମାସ ଗର୍ଭଣା ସଂକ୍ରାନ୍ତିରେ - ଗରଗଣା କାଠି ବିଲ ହିଡ ମୁଣ୍ଡରେ ଗୁଞ୍ଜି ଧାନ କେମିତି ପେଟ ଭିତରେ ଗର୍ଭ ଧାରଣ କରିଛି ଚାଷୀ ଯାଇ କିଆରି କିଆରି ବୁଲି ଦେଖି ଆସେ। ନିଜ ଧାନ ବିଲ ଚିହ୍ନି ପାରି ଖୁସିରେ ଗଦ ଗଦ ହେଇ ପଡ଼େ।
କାର୍ତ୍ତିକ ମାସରେ - ଅଭାବ ଅନଟନକୁ ପାଣିରେ ଥିବା ମାଛ ଇତ୍ୟାଦିଙ୍କ ଦେହରେ ରୋଗ ଦେଖାଦିଏ। ସେତେବେଳକୁ ଚାଷ ସରିଯାଇ ଲୋକେ ଧର୍ମ ମାସ ପାଳନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଆମ ନୌବାଣିଜ୍ୟକୁ ସ୍ମୃତି ଚାରଣ କରି ପୟା ଶ୍ରାଦ୍ଧ ସହ ଦିପାବଳୀ ଅମାବାସ୍ୟାରେ ପୂର୍ବପୁରୁଷଙ୍କ ସ୍ମରଣ ପୂଜା ଅର୍ଚ୍ଚନା ହୁଏ।
ମାର୍ଗଶିର ମାସରେ ଶୁକ୍ରବାର କରି ଧାନ କାଟି ଆଣି ଜଟ ପାରି ମାଆ ଲକ୍ଷ୍ମୀଙ୍କ ପାଖରେ ମାଣବସା ଗୁରୁବାର ପୂଜା ସହ ଭଳିକି ଭଳି ନୂଆ ରନ୍ଧା ଖାଦ୍ୟ ଭୋଗ ଲାଗିହୁଏ। ମାଆ ଲକ୍ଷ୍ମୀଙ୍କ ପୂଜା ଚାଷୀ ଘରର ବଡ଼ ପର୍ବ। ମାଆ ଲକ୍ଷ୍ମୀ ସାଆନ୍ତାଣୀ ପରା ବଡ଼ଦେଉଳରୁ ଶୀରିଆ ଚଣ୍ଡାଳୁଣୀ ଘରକୁ ପଳେଇ ଆସିଲେ ମାଣବସା ଗୁରୁବାର ପୂଜା ପାଇଁ। ଏହା ଆମ ମହାନତା।
ପୌଷ ମାସ ଧନୁ ସଂକ୍ରାନ୍ତି - ସେତେବେଳକୁ ବାଡ଼ି ସଫା ହେଇ ଧାନ ଖଳା ଚିକଣ ହେଇ ଲିପାପୋଛା ହେଇଥାଏ ଓ ଧାନ କଟା ହେଇ ଖଳାରେ ୩/୪ ଠାକିଆ ଗଦା ଦିଆ ହେଇଥାଏ ଯେମିତି ବଡ଼ ବଡ଼ ଘର ଭଳି ଦେଖାଯାଏ। ପ୍ରତ୍ୟେକ ଗଦା ମୂଳେ ମୁଆଁ ଭୋଗ ହୁଏ।
ମାଘ ମାସ ମକର ସଂକ୍ରାନ୍ତି - ସକାଳୁ ଉଠି ଗାଧୁଆ ପାଧୁଆ ସାରି ଧାନଖଳା ରେ ଯାଇ ମୁଣ୍ଡିଆ ମରା ହୁଏ। ଖଳା ମଝିରେ ମହୀ ବା ମେରିଆ ଖୁଣ୍ଟ (ମେଣ୍ଟା - ଯେଉଁ ଖୁଣ୍ଟ ଉପରେ ଅଳିସିରା ଓ ଜନ୍ତ ଦ୍ଵାରା ପାଣି ବୁହା ହୁଏ), ସେଠି ତଳୁ ଉପରକୁ ବଡ଼ରୁ ସାନ କରି ସଜା ହେଇଥାଏ ବେତା, ବେତୁଲି, ଗଉଣି, ସେର, କୁଲା ଓ ପାଚିଆ ଯାଏଁ.. ପାଖରେ ଥାଏ ଦାଆ, ଉଖୁଣୀ, ଡାଉଣୀ, ଶିକା, ବାହୁଙ୍ଗି ଓ ଯୋତ ଇତ୍ୟାଦି ସବୁ ପୂଜା ହୁଏ। ମକର ଚାଉଳ ପାଣିରେ ବତୁରା ହେଇ ନଡ଼ିଆ କୋରା, ଘିଅ ଓ ଗୁଡ଼ ପଡ଼ି ଭୋଗ ହୁଏ ଚାଉଳଚୂନାରେ ବେଙ୍ଗଳା ପଡୁଥିବାର ଚିତ୍ର ଝୋଟି ଅଙ୍କା ହେଇଥାଏ।
ଚାଷୀ ସମାଜକୁ ଅନ୍ନ ଯୋଗାଇ ଯେତେ ଧୂଳି ଧୂସର ହେଇଥାଏ ମାଘମାସରେ ବୁଡ଼ ପକାଇ ସେ କଷ୍ଟ ଓ ଧୂଳି ମଳିକୁ ଧୋଇ ଦିଏ।
ବଉଳ ଅମାବାସ୍ୟାରେ ବାଡ଼ିରେ ଥିବା ପ୍ରତ୍ୟେକ ଫଳନ୍ତି ଗଛ ମୂଳରେ ସଫା ହେଇ ଚିତା ପଡ଼ି ଗଇଁଣ୍ଠା ଭୋଗ ହୁଏ। ଗଇଁଠା ଗଛ ଉପରକୁ ଫୋପଡା ହୁଏ ଓ ଗଛମୂଳରେ ଛୋଟ ପିଲା କାଣ୍ଡି ହେଇଥାନ୍ତି ଯିଏ ଧରିଲା ସିଏ ଖାଇଲା।
ତା'ପରେ କ୍ଷେତ ବଢ଼ା ହୁଏ ମାନେ ସବୁଠାରୁ ଯେଉଁଟା ଦୁର ବିଲ ସେହି ବିଲରେ ବେତୁଲି ଭରାହେଇ ଉଖୁଡା ଯାଇଥାଏ ଭୋଗ ହୁଏ ଆଉ ପଛରେ ଥାଆନ୍ତି କେତେ କେତେ ଛୋଟ ପିଲା ଭୋଗପରେ ସମସ୍ତଙ୍କୁ ଉଖୁଡା ବାଣ୍ଟି ଦିଆହୁଏ। ଦୁରବିଲରେ ଭୋଗ କରିବା ଅର୍ଥ ସବୁ କିଆରୀରୁ ଧାନ କଟା ସରି ଯାଇଛି।
ମାଘ ମାସରେ ଭାଡ଼ି ମାରି ଧାନ ବାଡ଼ା ବାଡ଼ି ସରିଗଲେ ବେଙ୍ଗଳା ପକାହୁଏ। ଅଗିରା ପୁନେଇଁକୁ ସମସ୍ତେ ଗ୍ରାମବାସୀ ନୂଆ ଛଣ ଓ କୁଟା ନେଇ ଗାଁ ମୁଣ୍ଡ ତିନି ଛକିରେ ଅଗି ଜାଳି ନୂଆ ବାଇଗଣ ଓ ନୂଆ ଆଳୁ ପୋଡ଼ି ଘରକୁ ଆଣନ୍ତି ସମସ୍ତେ ସେ ପୋଡ଼ା ଭୋଗ ଖାଆନ୍ତି।
ଜାଗର ବେଳକୁ ଖଳାକାମ ସରିଯାଏ ଓ ଖଳାଉଠା ହୁଏ ମାନେ ସଂଧ୍ୟାବେଳକୁ ଧାନ, କୁଲା, ବେତା, ଗଉଣୀ, ସେର, ଡାଉଣୀ, ଉଖୁଣୀ ମେରିଆ ମୂଳେ ରଖାହେଇ ଖିରୀ ଭୋଗ ହୁଏ। ସବୁ ପିଲା ବୁଢ଼ା ମିଶି ଖଳା ଖଳା ବୁଲି ଖିରି ଭୋଗ ଖାଆନ୍ତି।
ଫଗୁଣ ମାସ ହୋଲି ପୂର୍ବରୁ ଘର ଛାଆ କାମ ସରିଯାଏ। ଘର ଛାଆ ସରିଲେ ଘର ଦୁଆର ମୁହଁ ଚାଳ ଉପରେ ଆମ୍ବଡ଼ାଳ, ହଳଦୀ ପାଣି ଓ ଅଧା ନଡ଼ିଆ ଭୋଗ ହୁଏ।
ଆଜି ବି ମୋ ଗାଁ କଥା, ସଞ୍ଜ ସକାଳ, ହଳ ବଳଦ ଓ ବିଲ ବାଡ଼ି କଥା ମନେ ପଡ଼ିଲେ ଦେହରେ ଶିହରଣ ସୃଷ୍ଟି ହୁଏ ଓ ଆଖିରେ ଲୁହ ଜକେଇ ଆସେ।